କନ୍ଧମାଳ( ଦ କୁଇଭର ):- ଗୋଟିଏ ପଟେ ପ୍ରସବ ବେଦନା ତ ଅନ୍ୟପଟେ ପ୍ରାୟ ୬ କିଲୋମିଟର ରାସ୍ତା ପାର ହେବାର ଚିନ୍ତା। ଏହା ଦିନେ କି ଦୁଇ ଦିନ ନୁହେଁ। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ମଧ୍ୟରେ ରହିଆସୁଛନ୍ତି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତ ବାସିନ୍ଦା। ଅଞ୍ଚଳକୁ ଯିବା ପାଇଁ ଅଦ୍ୟାବଧି ପକ୍କା ରାସ୍ତାଟିଏ ହୋଇପାରିନଥିବା ଯୋଗୁଁ ବର୍ଷା ହୋଇଗଲେ କଟାପଙ୍ଗା ଠାରୁ ଡମାଙ୍ଗପଦର ଗାଁ ପର୍ଯ୍ୟନ୍ତ ରାସ୍ତା କାଦୁଅରେ ଭରି ରହିଥାଏ। ଏହାରି ମଧ୍ୟରେ କୌଣସି ମହିଳାଙ୍କ ପ୍ରସବ ବେଦନା ଦେଖାଦେଲେ ଅଞ୍ଛଳକୁ ଆମ୍ୱୁଲାନ୍ସ ଆସିପାରିନଥିବା ଯୋଗୁଁ ଖଟିଆରେ ଗର୍ଭବତୀଙ୍କୁ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥାନ୍ତି ଗ୍ରାମବାସୀ।
ଆଜି ବି ରାଜ୍ୟରେ ଏପରି ଅନେକ ଅପହଞ୍ଚ ଅଞ୍ଚଳ ଅଛି, ଯାହାକି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଯାହା ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ରକୁ ପଦାରେ ପକାଇଛି। ଆଉ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଜନନୀ ଯନ୍ତ୍ରଣାର ଦୁଃଖ। ଏପରି ପୁଣି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତ ଅଞ୍ଚଳରେ। ପକ୍କା ରାସ୍ତାଟିଏ ନଥିବାରୁ ଏଠାରେ ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ଆସିଲେ ସେମାନେ ସରକାରୀ ଚିକିତ୍ସାଳୟକୁ ଯିବା ପାଇଁ ଅଞ୍ଚଳବାସୀ ଅନେକ ସମସ୍ୟା ମଧ୍ୟରେ ଜୁଝି ହୋଇପଡ଼ିଥାନ୍ତି। ଆଉ ବର୍ଷା ଦିନେ ଏହି ସମସ୍ୟା ଦ୍ୱିଗୁଣିତ ହୋଇପଡିଥାଏ। ଏଠାରେ ପ୍ରସବ ବେଦନା ଠାରୁ ବଳିପଡିଥାଏ ଖଟିଆରେ ଗର୍ଭବତୀଙ୍କୁ ବୋହି ନେବାର କଷ୍ଟ।
ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତ ମୁରଡ଼ି ଗ୍ରାମର ୨୬ ବର୍ଷୀୟ ଝିମି ମଳିକ। ତାଙ୍କ ସ୍ୱାମୀ ରାମଚନ୍ଦ୍ର କହଁର କୌଣସି ଏକ ମାମଲାରେ ଗିରଫ ହୋଇ ଫୁଲବାଣୀ ଜେଲରେ ବିଚାରଧିନ ବନ୍ଦୀ। ଏପରିସ୍ଥିତିରେ ଗର୍ଭବତୀ ଝିମିଙ୍କ ପ୍ରସବ ବେହଦନା ସମୟରେ ସାହାଯ୍ୟ କରିବା ପାଇଁ ପରିବାରରେ ଅନ୍ୟ କୌଣସି ସଦସ୍ୟ ଥିବା ଯୋଗୁଁ ଏଭଳି ସ୍ଥିତିରେ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସ୍ଥାନୀୟ ଅଞ୍ଚଳର ଯୁବ ବର୍ଗ। ସ୍ଥାନୀୟ ଯୁବ ନେତା ଦେବେଶ୍ୱର ଦ୍ଵୀପ, ପ୍ରଶାନ୍ତ କମ୍ପ, ସୁମରବନ୍ଧ ସରପଞ୍ଚ ସୁଶୀଳା କହଁର, ଆଶା ଦିଦି ରଜନୀ କହଁର, ସମାଜସେବୀ ବିଗ କହଁର ପ୍ରମୁଖ ଝିମିଙ୍କ ଘରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହାୟତାରେ ଖଟିଆ ଭାର କରି ଏଭଳି କାଦୁଅ ପଚପଚ ରାସ୍ତାରେ ୬ କିଲୋମିଟର ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ l ଗୋଟିଏପଟେ ସରକାରଙ୍କ ପକ୍ଷରୁ ଗର୍ଭଧାରଣ ଠାରୁ ସୁରକ୍ଷିତ ପ୍ରସବ ପର୍ଯ୍ୟନ୍ତ ଯେପରି ପ୍ରତେକ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ ସେନେଇ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଏଠାରେ ଗର୍ଭବତୀଙ୍କ ପ୍ରସବ ବେଦନା ଠାରୁ ରାସ୍ତା ଅତିକ୍ରମ ପାଇଁ ହେଉଥିବା ଯନ୍ତ୍ରଣା ବଳି ଯାଉଥିବା ଯୋଗୁଁ ଏପରିସ୍ଥଳେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।
No comments yet.
State
ଦ କୁଇଭର ବ୍ୟୁରୋ:- ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଯାଏଁ ଆଇଏଏସଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ସିବିଆଇ ଚଢ଼ାଉ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଷ୍ଣୁପଦ । ଆସନ୍ତା ୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ପୂର୍ବରୁ ବିଷ୍ଣୁପଦଙ୍କ ଆବେଦନ ଖାରଜ କରିଥିଲେ ଓଡିଶା ହାଇକୋର୍ଟ । ଓଡିଶା ବ୍ରିଜ ଆଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଗିରଫ ସମ୍ଭାବନା ଥିବାରୁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ବିଷ୍ଣୁପଦ । ୧୦ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ସିବିଆଇ ଚଢ଼ାଉକୁ ବିରୋଧ କରି ହାଇକୋର୍ଟରେ ଅଭିଯୋଗ ଆଣିଥିଲେ ବିଷ୍ଣୁପଦ । ତାଙ୍କର ତିନି ଜଣ କର୍ମଚାରୀ ତଥା ଡ୍ରାଇଭରଙ୍କୁ ସିବିଆଇ ଜେରା କରିସାରିଛି । ଗତ ସାତ ତାରିଖରେ ବିଷ୍ଣୁପଦ କେଉଁଠି ଥିଲେ ସେନେଇ କାରଣ ଖୋଜୁଥିଲା ସିବିଆଇ । ତେବେ ସେ ଘଟଣା ପରେ ସେପଟେ ବିଷ୍ଣୁପଦଙ୍କୁ ରାଜ୍ୟ ସରକାର ତାଙ୍କର ଯେଉଁ ବିଭାଗର ସଚିବ ଭାବେ ଦାୟିତ୍ବ ଦେଇଥିଲେ ସେ ଦାୟିତ୍ବରୁ ଅପସାରଣ କରି ଅନ୍ୟ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।
State
ବ୍ରହ୍ମପୁର( ଦ କୁଇଭର ):- ମଙ୍ଗଳବାର ବ୍ରହ୍ମପୁରରେ ଘଟିଥିଲା ପ୍ରିୟା ମହାରଣା ହତ୍ୟା ଘଟଣା, ସାରା ସହରବାସୀଙ୍କୁ କରି ଦେଇଥିଲା ସ୍ତବ୍ଧ। ପ୍ରେମିକ ସାଜିଥିଲା ସଇତାନ । ପିଲାଟି ଦିନରୁ ଭଲ ପାଇ ଆସୁଥିବା ନିଜ ପ୍ରେମିକାକୁ ଅତି ନିର୍ମମ ଭାବରେ ୨୦ ଥର ଛୁରୀ ଭୂଷି ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ଦୁହିଁଙ୍କ ଫୋନକୁ ପୋଖରୀ ରେ ଫିଙ୍ଗି ଦେଇ ନିଜେ ଗୋଶାଣୀନୂଆଗାଁ ଥାନାରେ କରିଥିଲା ଆତ୍ମସମର୍ପଣ । ତେବେ ଆଜି ସେହି ହତ୍ୟା ଘଟଣାର ଅଭିଯୁକ୍ତ ପ୍ରେମିକକୁ ନେଇ ହୋଟେଲ ଯାଇ ଗତକାଲି ଘଟଣାର କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ବୈଦ୍ୟନାଥ ପୁର ଥାନା ପୋଲିସ l କେତେବେଳେ ଗେଷ୍ଟ ହାଉସକୁ ଆସିଥିଲେ,ଉଭୟଙ୍କ ମଧ୍ୟରେ କ'ଣ ହୋଇଥିଲା ଘଟଣା ଓ ଛୁରୀରେ କିଭଳି ପ୍ରିୟାଙ୍କୁ ହତ୍ୟା କରିଥିଲା,ଛୁରୀରେ ପ୍ରିୟାର ଶରୀରର କେତୋଟି ସ୍ଥାନକୁ ଓ କିଭଳି ଛୁରୀ ମାଡ଼ କରିଥିଲା ସେ ନେଇ ସବୁ ତଥ୍ୟ ବଖାଣିଥିଲା ଅଭିଯୁକ୍ତ ପ୍ରେମିକ ଅଭୟ । କ୍ରାଇମ ସିନ୍ ରିକ୍ରିଏସନ୍ ପରେ ଅଭୟକୁ ଥାନାକୁ ନେଇଛି ପୋଲିସ ଏବଂ କୋର୍ଟ ଚାଲାଣ କରିଥିବା ପୋଲିସ ତରଫରୁ ସୂଚନା ମିଳିଛି l
ଅନ୍ୟପଟେ ଆଜି ପ୍ରେମିକା ପ୍ରିୟା ମହାରଣା ର ବ୍ୟବଚ୍ଛେଦ ହୋଇ ଶରୀର କୁ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣା ବିବେକ ଏମ l
State
ଦ କୁଇଭର ବ୍ୟୁରୋ:- ସପ୍ତାହ ଶେଷରେ ପୁଣି ଲଘୁଚାପ। ଚଳିତ ସପ୍ତାହ ଶେଷ ବେଳକୁ ପଶ୍ଚିମବଙ୍ଗ ନିକଟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହି ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ। ତେବେ ଏହି ଲଘୁଚାପ ବେଶୀ ଘନୀଭୂତ ହେବ ନାହିଁ। ସେପଟେ ଓଡିଶା ଓ ଝାଡଖଣ୍ଡ ଉପରେ ସକ୍ରିୟ ଥିବା ଲଘୁଚାପ ଦୁର୍ବଳ ହୋଇ ବୁଧବାର ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ଆଡକୁ ଗତି କରିଛି। ତେବେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି।
ଗୋଟିଏ ଲଘୁଚାପର ପ୍ରଭାବ ନକମୁଣୁ ସପ୍ତାହ ଶେଷରେ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ତେବେ ଓଡିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ସ୍ପଷ୍ଟ ହୋଇନାହିଁ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଉ ୪ ଦିନ ଯାଏଁ ବର୍ଷା ଲାଗି ରହିବ। ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, ସୋନପୁର, ବରଗଡ଼ ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି। ସେହିପରି ଆଜି ୫ ଜିଲ୍ଲାକୁ ରହିଛି ୟେଲୋ ଆଲର୍ଟ।
State
କେନ୍ଦୁଝର( ଦ କୁଇଭର ):-
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଛାକୁଣ୍ଡି ନିକଟସ୍ଥ ଦଲପାହାଡ ଠାରେ ଥିବା ଏକ ପରିତ୍ୟକ୍ତ ଖଣିରେ ମଙ୍ଗଳବାର ରାତି ଖଣି ଅତଡା ଖସିବା ଫଳରେ ୩ ଜଣ ଲୋକ ସେଥିରେ ଚାପି ହୋଇ ଯାଇଥିଲେ। ସୂଚନା ପାଇ ଯୋଡା ଓ ବାମେବାରୀ ପୋଲିସ ସହ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ୬ ଘଣ୍ଟା ପରେ ଖଣି ଅତଡା ମଧ୍ୟରୁ ୩ଟି ମୃତଦେହ ଉଦ୍ଧାର କରା ଯାଇଥିବା ଜଣା ପଡିଛି। ମୃତକ ମାନେ ବିଛାକୁଣ୍ଡି ଗ୍ରାମର ସନ୍ଦୀପ ପୂର୍ତ୍ତି, କାଣ୍ଡେ ମୁଣ୍ଡା ଓ ଗୁରୁ ଚାମ୍ପିଆ ବୋଲି ଚିହ୍ନଟ ହୋଇଛନ୍ତି। ମାଙ୍ଗାନିଜ ଚୋରା ଚାଲାଣ ବେଳେ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ୍ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।
State
ଦ କୁଇଭର ବ୍ୟୁରୋ :- ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା । ୭ ତାରିଖ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ସକାଳୁ ଝିପି ଝିପି ବର୍ଷା ଲାଗି ରହିଛି । ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୪ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାମାନଙ୍କରେ ବିଜୁଳି, ଘଡ଼ଘଡ଼ି ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ ।ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୭ ତାରିଖ ପରଠାରୁ ରାଜ୍ୟରେ କମିବ ବର୍ଷାର ପ୍ରଭାବ । ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ବର୍ଷା ଜାରି ରହିଥିବା ବେଳେ ଆହୁରି ୨ଟି ଘୂର୍ଣ୍ଣିବଳୟ ଆଗକୁ ରହିଛି । ଜୁନ୍ ୨୬ରୁ ଜୁଲାଇ ୨ ତାରିଖ ଭିତରେ ରାଜ୍ୟରେ ଯେତିକି ବର୍ଷା ହେବା କଥା ଅଧିକ ଅଜାଡ଼ିଛି ।
State
ଦ କୁଇଭର ବ୍ୟୁରୋ:- ୨୦୨୪ ନଭେମ୍ବରରେ ମହାରାଷ୍ଟ୍ରର ତଡ଼ବା ଅନ୍ଧେରି ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଥିଲା ୩ ବର୍ଷୀୟା ତରୁଣୀ ମରାଠୀ ବାଘୁଣୀ ଜୀନତ୍ । ପରବର୍ତ୍ତୀ ସମୟରେ ଏହା ଶିମିଳିପାଳରୁ ବାହାରି ଝାଡଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ ଜଙ୍ଗଲକୁ ପଲେଇଥିଲା । ପରେ ପଶ୍ଚିମବଙ୍ଗ ବନ ବିଭାଗର ସହଯୋଗରେ ଓଡ଼ିଶା ବନ ବିଭାଗ ଚଳିତ ବର୍ଷ ଜାନୁଆରୀ ପହିଲାରେ ଜୀନତକୁ ଉଦ୍ଧାର କରି ଶିମିଳିପାଳ ଆଣିଥିଲେ । ଏହା ପରଠାରୁ ଜୀନତକୁ ପ୍ରଥମେ ସଫ୍ଟ ଏନକ୍ଲୋଜର, ତାପରେ ବଡ଼ ଏନକ୍ଲୋଜରରେ ରଖାଯିବା ପରେ ମେ' ମାସରେ ପୁଣି ଥରେ ଜଙ୍ଗଲକୁ ଛଡାଯାଇଥିଲା । ଜୀନତ୍ର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି । ଆଉ ବାହାରକୁ ଯିବାର ସମ୍ଭାବନା ବହୁତ କାମ ରହିଛି ।
ତେବେ ମେ' ମାସ ଦ୍ୱିତୀୟ ସପ୍ତାହରେ କଳା ମହାବଳ T-12 ସହ ସହବାସ କରିଛି ମରାଠୀ ବାଘୁଣୀ ଜୀନତ୍ । ଯଦି ଜୀନତ୍ ଗର୍ଭବତୀ ହୋଇଥାଏ, ତେବେ ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସେ ମାଆ ହେବ । କାରଣ ଗର୍ଭବତୀ ହେବାର ୧୦୫ ଭିତରେ ଶାବକ ଜନ୍ମ କରିଥାଏ ବାଘୁଣୀ । ଜୀନତ ୨ରୁ ୪ଟି ଛୁଆ ଜନ୍ମ କରିପାରେ । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି । ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝାଙ୍କ ସୂଚନା ଅନୁସାରେ, ଏପ୍ରିଲ ମାସରେ ବଡ଼ ଏନକ୍ଲୋଜରରୁ ମୁକ୍ତ ହେବା ପରେ ଶିମିଳିପାଳ ଅଭୟାରଣ୍ୟର ଯମୁନାଗଡ଼ରୁ ଗୁଡୁଗୁଡ଼ିଆ ପର୍ଯ୍ୟନ୍ତ ଜଙ୍ଗଲକୁ ନିଜର ବାସସ୍ଥଳୀ ଭାବେ ବାଛିଥିଲା ଏହି ମରାଠୀ ବାଘୁଣୀ ଜୀନତ୍ । ଜଙ୍ଗଲକୁ ଯିବା ପରେ ମହାବଳ T-31 ସହ ସଂସ୍ପର୍ଶରେ ଆସିଥିଲା ଜୀନତ୍ । ହେଲେ ଜୀନତ୍ ତାକୁ ପ୍ରତ୍ୟାଖ୍ୟାନ କରିଥିଲା । ଗତ ମେ' ମାସରେ ଯମୁନାଗଡ଼ ଜଙ୍ଗଲରେ ଜୀନତ୍କୁ ଭେଟିଥିଲା କଳା ମହାବଳ T-12 । ଏହାପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ସମ୍ପର୍କ । T-12 ମହାବଳ ସହ ସହବାସ କରିବାକୁ ଉଚିତ୍ ମନେ କରିଥିଲା ଜୀନତ୍ ।
State,Education
ବ୍ରହ୍ମପୁର( ଦ କୁଇଭର ):- ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇଙ୍କ ଦ୍ୱାରା ସହର ସ୍ଥିତ ଷ୍ଟେଟ ବ୍ୟାଙ୍କ ରୋଡରେ ଥିବା ପବ୍ଲିକ ଲାଇବ୍ରେରୀ ଭିତରେ ୨୦ ଆସନ ବିଶିଷ୍ଟ ଇ-ଲାଇବ୍ରେରୀ ଉଦଘାଟନ କରାଯାଇଛି l ଏଥିରେ ବିଇଏମସି ର କମିଶନର, ଡେପୁଟି କମିଶନର, କର୍ପୋରେଟର ଏବଂ ବିଇଏମସିର ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ। ଲାଇବ୍ରେରୀ ଭିତରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ୱାଇଫାଇ ବ୍ୟବସ୍ଥା ମଧ୍ୟ କରାଯାଇଛି l
State
କୋରାପୁଟ ( ଦ କୁଇଭର ):- ଜୟପୁର ରେଳ ଲାଇନ ଜରଟି ନିକଟରେ ପାହାଡ ଧସି ପଡିଲା,ହୀରାଖଣ୍ଡ ଓ ରାଉରକେଲା ଏକ୍ସପ୍ରେସ ବାତିଲ,ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ରାଉରକେଲା ଏକ୍ସପ୍ରେସ l ପ୍ରବଳ ବର୍ଷାର ପ୍ରଭାବରେ ରେଳଧାରଣା ଉପରେ ମାଟି ଧସିଛି। ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ପାହାଡ଼ ଧସି ରେଳଲାଇନ୍ ଅବରୋଧ ହୋଇଛି। ରେଳଧାରଣା ଉପରେ ମାଟି ଧସିବା କାରଣରୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। କୋରାପୁଟ-ଜୟପୁର ରେଳପଥର ଜରଟି ନିକଟରେ ଆଜି ଏହି ଘଟଣା ଘଟିଛି। ରେଳବାଇ ପକ୍ଷରୁ କୁହାଯାଇଛି ଏହି ଅପ୍ରୀତିକର ଘଟଣା ଯୋଗୁଁ ୨ଟି ଟ୍ରେନ୍ ବାତିଲ କରାଯାଇଛି। ଜଗଦଲପୁରରୁ ଆସୁଥିବା ରାଉରକେଲା ଏକ୍ସପ୍ରେସ୍ ଓ ଭୁବନେଶ୍ବର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ କୋରାପୁଟ ପହଞ୍ଚିବାରେ ବିଳମ୍ୱ ହେଉଛି। ସେହିପରି ବିଶାଖାପାଟଣା-କିରଣ୍ଡୁଲ ଟ୍ରେନ୍ ପ୍ରଭାବିତ ହୋଇଛି। ଜରଟି-ମାଲିଗୁଡ଼ା ମଧ୍ୟରେ ୨୦୮ କିମି ଠାରେ ଭୂସ୍ଖଳନ ହୋଇଛି। ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ କେକେ ଲାଇନ୍ର କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଜରଟି ରେଳ ଷ୍ଟେସନ ନିକଟରେ ଏହି ଘଟିଛି ଘଟଣା। ଜଗଦଲପୁରରୁ ଆସୁଥିବା ରାଉରକେଲା ଏକ୍ସପ୍ରେସ୍ ଓ ଭୁବନେଶ୍ବର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ କୋରାପୁଟ ପହଞ୍ଚିବାରେ ବିଳମ୍ୱ ହେଉଛି। ସେହିପରି ବିଶାଖାପାଟଣା-କିରଣ୍ଡୁଲ ଟ୍ରେନ୍ ପ୍ରଭାବିତ ହୋଇଛି। ଜରଟି-ମାଲିଗୁଡ଼ା ମଧ୍ୟରେ ୨୦୮ କିମି ଠାରେ ଭୂସ୍ଖଳନ ହୋଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରେଳଧାରଣାରୁ ମାଟି ସଫା କରାଯିବାକୁ ତ୍ବରିତ ପଦକ୍ଷେପ ନିଆଯାଇଛି। ଯଥା ଶୀଘ୍ର ରେଳଲାଇନ୍ରେ ଟ୍ରେନ୍ ଚଳାଳଚ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାର୍ଇ ଉଦ୍ୟମ କରାଯାଉଛି।
ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ବରିଷ୍ଠ ପ୍ରବନ୍ଧକ (ବ୍ୟବସାୟିକ) କେ ସନ୍ଦୀପ କହିଛନ୍ତି, ବର୍ଷା ଯୋଗୁଁ କୋରାପୁଟ-କିରଣ୍ଡୁଲ ଲାଇନର ମାଲିଗୁଡ଼ା-ଜରଟି ଷ୍ଟେସନ ମଝିରେ ଭୂସ୍ଖଳନ ହୋଇଛି। ଏହି ଅଘଟଣ ଯେଗୁଁ ଟ୍ରେନ୍ ଚଳାତଳ ବାଧାପ୍ରାପ୍ତ ହୋଇଛି। ରେଳବାଇର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଟ୍ରେନ୍ ନମ୍ବର ୧୮୪୪୮ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନ୍ ଆଜି ପାଇଁ ଜଗଦଲପୁରରୁ ବାତିଲ କରାଯାଇଛି। ସେହିପରି ଟ୍ରେନ୍ ନମ୍ବର ୧୮୫୧୬ କିରଣ୍ଡୁଲ-ବିଶାଖାପାଟଣା ରାତ୍ରୀକାଳୀନ ଏକ୍ସପ୍ରେସ୍ ଆଜି ପାଇଁ କିରଣ୍ଡୁଲରୁ ବାତିଲ କରାଯାଇଛି।
State
ଭୁବନେଶ୍ୱର( ଦ କୁଇଭର ):- ଯିଏ ବି ଦୋଷୀ ଥାଉନା କାହିଁକି କାହାରିକୁ ଛଡ଼ା ଯିବନି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । OAS ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ ନେଇ ବୈଠକ ମନ୍ତ୍ରୀମାନଙ୍କ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ କାହାରିକୁ ବି ଛଡା ଯିବନି । ଯିଏ ବି ଏ କାଣ୍ଡ କରେଇଛି ସମସ୍ତଙ୍କୁ ଗିରଫ କରାଯିବ, କାର୍ଯ୍ୟାନୁଷ୍ଠାନ ହେବ । ଏହା ସହ ଓଏଏସ ଅଧିକାରୀଙ୍କ ଆନ୍ଦୋଳନର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି । ଲୋକସେବା ଭବନରେ ବିଭିନ୍ନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ବୈଠକରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ । ସମୂହ ଛୁଟି ନେଲେ ବିଭିନ୍ନ ବିଭାଗରେ ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।
State
ଦ କୁଇଭର ବ୍ୟୁରୋ,:- ଭୁବନେଶ୍ୱର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଆକ୍ରମଣ ଘଟଣାରେ ଆହୁରି ପ୍ରତିକ୍ରିୟାଶିଳ ହୋଇଛନ୍ତି ଓଏଏସ ସଂଘ । କାର୍ଯ୍ୟରେ ଯୋଗ ନଦେଇ ଜିଦରେ ଅଟଳ ରହିଛି । ଓଏଏସ ସଂଘ ମେଳି କରି ଶକ୍ତି ପ୍ରଦର୍ଶନ କରିବା ସହ ସରକାରଙ୍କୁ ସିଧା ସିଧା ଚରମବାଣୀ ଶୁଣାଇଛନ୍ତି । ସରକାରଙ୍କ ପାଖରେ ୩ଟି ଦାବି ରଖିଛି ସଂଘ,ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କର, ଅଫିସରଙ୍କୁ ସୁରକ୍ଷା ଦିଆଯାଉ,ମାଡ଼ ଘଟଣାକୁ ସାର୍ବଜନୀନ ଭାବେ ସରକାର ନିନ୍ଦା କରନ୍ତୁ l ସବୁ ଭିତରେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ କୁହାଯାଇଛି, କିନ୍ତୁ ବନ୍ୟା ଅଂଚଳ ଓ ରଥଯାତ୍ରା କାର୍ଯ୍ୟରେ ସାମିଲ ରହିବେ ଓଏଏସ ଅଫିସର । ସଂଘର ସଭାପତି କହିଛନ୍ତି ତିନି ଦିନ ଭିତରେ ତଦନ୍ତ ସାରି ସରକାର ଆକ୍ସନ ନେବା ଦରକାର । ଜିଦରେ ଅଟଳ ଥିବା ଅଫିସର ସଂଘକୁ ଲଗାତର ଭାବେ ବୁଝାଇ ଚାଲିଛନ୍ତି ସରକାର । କିନ୍ତୁ ନଝୋଡବନ୍ଧା ସଂଘ । ଅଫିସର କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ପୁଣି ଥରେ ଅନୁରୋଧ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
State
ଗଞ୍ଜାମ ( ଦ କୁଇଭର ):- ପୁଣି ଗଞ୍ଜାମରେ ସାମ୍ନାକୁ ଆସିଲା ନାବାଳିକା ଦୁଷ୍କର୍ମ ଘଟଣା। ଗୋଳନ୍ଥରା ଓ ଦିଗପହଣ୍ଡି ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜୁନ ୩୦ ତାରିଖରେ ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ମାମଲା ପରେ ପୋଲିସ ତଦନ୍ତ ତଦନ୍ତ କରି ପୀଡ଼ିତାଙ୍କ ମାମୁଁ ପୁଅକୁ ଗିରଫ କରିଛି । ଗୋଳନ୍ଥରା ଅଞ୍ଚଳର ଏକ ଗ୍ରାମରେ ଜଣେ ୧୧ ବର୍ଷିୟ ନାବାଳିକାକୁ ତାଙ୍କ ସଂପର୍କୀୟ ମାମୁଙ୍କ ପୁଅ ଘରୁ ଡାକି ବାହାରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଜଣେ ଯୁବକ ଏହା ଜାଣିବା ପରେ ନାବାଳିକାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ପରେ ପୀଡିତାଙ୍କ ପରିବାର ଲୋକେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ପୀଡିତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଡାକ୍ତରୀ ମାଇନା କରାଇଛି । ଏହା ଏହାସହ ଦୁଷ୍କର୍ମ ଅଭିଯୁକ୍ତ ଭୁବନ ପ୍ରଧାନକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡା.ଶ୍ରବଣ ବିବେକ ଏମ୍ । ବ୍ରହ୍ମପୁର ଏସପି ଡା.ଶ୍ରବଣ ବିବେକ ଏମ୍ କହିଛନ୍ତି, " ଗୋଳନ୍ଥରା ଥାନା ଅଞ୍ଚଳର ଗୋଟିଏ ଗାଁରେ ନାବାଳିକାଙ୍କ ମାମୁଁ ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇ ଚାଇଲ୍ଡ ଓ୍ବେଲଫେୟାର କମିଟିକୁ ହସ୍ତାନ୍ତର କରାଯାଇଛି । କାଉସିଲିଂ ପରେ ତାଙ୍କ ପରିବାର ଲୋକଙ୍କ ପାଖରେ ସେ ଅଛନ୍ତି । ପୀଡିତା ବୟାନ ଦେଇଛନ୍ତି, ଏହା କେତେଦୂର ସତ ତାହା ତଦନ୍ତ କରିବୁ । "
ସେହିପରି ମଙ୍ଗଳବାର ଦିଗପହଣ୍ଡି ଥାନାରେ ଉକ୍ତ ଅଞ୍ଚଳର ଏକ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ଦିଗପହଣ୍ଡି ପୋଲିସ ଅଭିଯୁକ୍ତ ମୁରଲୀ ବେହେରାକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ପୋଲିସ ସୂଚନା ଅନୁସାରେ, ଗତ ଜୁନ ୨୯ ତାରିଖ ବିଳମ୍ବିତ ରାତିରେ ପରିବାର ଲୋକେ ଗୋଟିଏ ରୁମରେ ଶୋଇଥିବା ବେଳେ ନାବାଳିକା ଜଣକ ଅନ୍ୟ ଏକ ରୁମରେ ଶୋଇଥିଲେ | ଏହି ସମୟରେ ଅଭିଯୁକ୍ତ ମୁରଲୀ ନାବାଳିକା ଶୋଇଥିବା କୋଠରୀ ଭିତରକୁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଠାରୁ ଆରମ୍ଭ କରି ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ସମ୍ପର୍କୀୟ ନାବାଳିକ ଭଉଣୀଙ୍କୁ ଗଣ ଦୁଷ୍କର୍ମ ଏବଂ ପାଟପୁର ଥାନା ଅଞ୍ଚଳରେ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଭଳି ଘଟଣା ଦେଖିବାକୁ ମିଳିଛି । ପ୍ରଶାସନ କଣ ଜାଣିଶୁଣି ନଜର ଆନ୍ଦାଜ କରୁଛି ନା ଦୋଷୀକୁ ଠିକ ଦଣ୍ଡ ଦେଉଛି ତାହା ଆଗାମୀ ଦିନରେ ଜଣାପଡିବ l
State,Politics
ଦ କୁଇଭର ବ୍ୟୁରୋ:- କମିସନରେଟ୍ ପୁଲିସ ହାତରେ ଆଜି ରାତିରେ ଗିରଫ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଭୁବନେଶ୍ବର କୋର୍ଟରେ ହାଜର ହେଲା ପରେ ଜାମିନ ନାମଞ୍ଜୁର ହେବାରୁ ଜଗନ୍ନାଥ ପ୍ରଧାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଜଗନ୍ନାଥ ପ୍ରଧାନ ଆଜି ରାତି ୯ଟା ୪୦ରେ ଡିସିପି କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେ ଗଣମାଧ୍ୟମ ଆଗରେ କହିଥିଲେ, ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାକୁ ମୁଁ ସବୁବେଳେ ନିନ୍ଦା କରିଆସୁଛି। ଏହି ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ। ଓଏଏସ୍ ସଂଘ ମୋର ଗିରଫ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନ କାରଣରୁ ଜନସାଧାରଣ ପ୍ରଭାବିତ ହୋଇପାରନ୍ତି। ରଥଯାତ୍ରା ଓ ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ମୋହନ ଚରଣ ମାଝୀ ସରକାର ବଦନାମ ନହୁଅନ୍ତୁ ଏହା ମୁଁ ଚାହେଁ। କିନ୍ତୁ ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି। ଏହା କହିଲା ପରେ ଶ୍ରୀ ପ୍ରଧାନ ଡିସିପି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ସହ ଆତ୍ମସମର୍ପଣ କରିଥିଲେ।
ଅନ୍ୟପକ୍ଷରେ ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି। ଡିସିପି କାର୍ଯ୍ୟାଳୟ ଓ ଝାରପଡ଼ା ଜେଲ୍ ସାମ୍ନାରେ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି। ବିରୋଧ ପ୍ରଦର୍ଶନ ସମୟରେ ଝାରପଡ଼ାରେ ଜଣେ ମହିଳା ସମର୍ଥକ ଅଚେତ ହୋଇଯାଇଥିଲେ। ଜଣେ ସମର୍ଥକମାନେ କହିଛନ୍ତି, ଯଦି ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି, ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁ ମଧ୍ୟ ଗିରଫ ହେବା ଦରକାର। ସମର୍ଥକମାନେ କହିଛନ୍ତି, ଜଗନ୍ନାଥ ପ୍ରଧାନଙ୍କ କୌଣସି ଭୁଲ ନାହିଁ। ଯଦି ଜଗନ୍ନାଥ ପ୍ରଧାନଙ୍କ ଭୁଲ ଥିଲା, ପୁଲିସ ଘଟଣାର ତଦନ୍ତ କରିବାର ଥିଲା। ତଦନ୍ତରେ ସେ ଯଦି ଅଭିଯୁକ୍ତ ପ୍ରମାଣିତ ହୋଇଥାନ୍ତେ ଗିରଫ କରିଥିଲେ କୌଣସି ଆପତ୍ତି ନଥିଲା।
Politics,State
ଭୁବନେଶ୍ୱର( ଦ କୁଇଭର ):- ଚାରି ଦିନ ହେଲା ଚାଲିଥିବା ହାଇଡ୍ରାମାର ଅନ୍ତ ଘଟିଛି। ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ଉତ୍କ୍ଷିପ୍ତ ହୋଇଛନ୍ତି ଜଗନ୍ନାଥଙ୍କ ସମର୍ଥକ। ରାତି ପ୍ରାୟ ୧୦ଟା ବେଳେ ଭୁବନେଶ୍ବରର ଜନପଥ ଓ ଜାତୀୟ ରାଜପଥ ଅବରୋଧ କରିଥିଲେ। ଅଘଟଣ ଆଶଙ୍କାରେ ରାଜଧାନୀର ବିଭିନ୍ନ ଜାଗାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଜଗନ୍ନାଥଙ୍କ ଗିରଫ ପରେ ଓଏଏସ୍ ସଂଘ ତା’ର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛି। ଏହି ମାଡ଼ ଘଟଣାରେ ରାଜ୍ୟ ସରକାର ଓ ଓଏଏସ୍ ଅଧିକାରୀ ସଂଘ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ। ଜଗନ୍ନାଥ ପ୍ରଧାନ ମୁଖ୍ୟ ଷଡ଼୍ଯନ୍ତ୍ରକାରୀ ବୋଲି ସଂଘ ଅଭିଯୋଗ କରିବା ସହ ତାଙ୍କର ଗିରଫ ଦାବିରେ ଅଟଳ ରହିଥିଲା। ଫଳରେ ପ୍ରଶାସନିକ ଅଚଳାବସ୍ଥା ତୃତୀୟ ଦିନରେ ପହଞ୍ଚିଥିଲା। ଜିଲ୍ଲା ଓ ବ୍ଲକ୍ ସ୍ତରରେ ଲୋକମାନେ ହଇରାଣ ହୋଇଥିଲେ। ତେବେ ଗୁରୁବାର ସକାଳୁ ଜଗନ୍ନାଥଙ୍କୁ ଗିରଫ ନିଷ୍ପତ୍ତି ନେବା ମୁଡ୍ରେ ସରକାର ନ ଥିଲେ। ଓଏଏସ୍ ଅଧିକାରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ରାଜସ୍ବ ମନ୍ତ୍ରୀ ନିବେଦନ କରିଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଓଏଏସ୍ ସଂଘ ତା’ର ଜିଦ୍ରୁ ଓହରି ନଥିଲା। ଏହା ପରେ ବିଜେପି ଓ ସରକାରଙ୍କ ଶୀର୍ଷସ୍ତରରେ ବୈଠକ ବସି ଜଗନ୍ନାଥଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା।
ରାତି ପ୍ରାୟ ସାଢ଼େ ୯ଟା ବେଳକୁ ଡିସିପିଙ୍କ କାର୍ଯ୍ୟାଳୟରେ ଜଗନ୍ନାଥ ପହଞ୍ଚିଥିଲେ। ଏହି ଖବର ଜଣାପଡ଼ିବା ପରେ ତାଙ୍କର ଶହ ଶହ ସମର୍ଥକ ସେଠାରେ ରୁଣ୍ଡ ହୋଇଥିଲେ। ବିଧାୟକ ବାବୁ ସିଂହଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତା ବି ସେଠାରେ ପହଞ୍ଚିଥିଲେ। ଡିସିପିଙ୍କ କାର୍ଯ୍ୟାଳୟ ଭିତରକୁ ଯିବା ପୂର୍ବରୁ ଗଣମାଧ୍ୟମକୁ ଜଗନ୍ନାଥ କହିଥିଲେ, ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟଣାରେ ମୋର ସଂପୃକ୍ତି ନାହିଁ। ମୁଁ ଏହି ଘଟଣାକୁ ନିନ୍ଦା କରିଛି। କିନ୍ତୁ ମୋତେ, ମୋ ଦଳ ଓ ସରକାରଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରାଗଲା। ଓଏଏସ୍ ସଂଘ ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫ ଦାବି କରି ଆନ୍ଦୋଳନରେ ଅଛନ୍ତି। ଫଳରେ ବନ୍ୟା ଦୁର୍ଗତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ, କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ଆବଣ୍ଟନ ପ୍ରଭାବିତ ହୋଇପାରେ। ବାହୁଡ଼ା ଯାତ୍ରା ଓ ମହାପ୍ରଭୁଙ୍କ ସୁନାବେଶ ମଧ୍ୟ ପ୍ରଭାବିତ ହୋଇପାରେ। ଯଦି ମୋର ଗିରଫଦାରୀ ଏହାର ସମାଧାନର ବାଟ, ତେବେ ସରକାରଙ୍କ ସମ୍ମାନ ଏବଂ ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମୁଁ ତଦନ୍ତରେ ସହଯୋଗ କରିବାକୁ ଆସିଛି। ଡିସିପିଙ୍କ କାର୍ଯ୍ୟାଳୟରେ ଜଗନ୍ନାଥ ଥିଲା ବେଳେ ବାହାରେ ତାଙ୍କ ସମର୍ଥକମାନେ ହୋହଲ୍ଲା ଆରମ୍ଭ କରି ଦେଇଥିଲେ। ସେମାନେ ରାସ୍ତାରୋକ କରି ନିଜର ଅସନ୍ତୋଷ ଜଣାଇଥିଲେ। ପୁଲିସ ଓ ବିଜେପିର ବରିଷ୍ଠ ନେତାମାନେ ସମର୍ଥକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା। ରାତି ପ୍ରାୟ ୧୦ଟା ବେଳକୁ ଜଗନ୍ନାଥଙ୍କୁ ଗିରଫ କରାଯାଇଥିବା ନେଇ ପୁଲିସ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଥିଲା। ଗିରଫ ପରେ ତାଙ୍କୁ ମେଡିକାଲ୍ ଯାଞ୍ଚ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ସେଠାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ରାତିରେ ଝାରପଡ଼ା ଜେଲ୍କୁ ପଠାଯାଇଥିଲା। ଜଗନ୍ନାଥଙ୍କ ଗିରଫ ପରିପ୍ରେକ୍ଷୀରେ ଡିସିପି କାର୍ଯ୍ୟାଳୟ, କ୍ୟାପିଟାଲ୍ ହସ୍ପିଟାଲ, ଭୁବନେଶ୍ବର କୋର୍ଟ ଓ ଝାରପଡ଼ା ଜେଲ୍ ନିକଟରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।
State
ବଲାଙ୍ଗୀର( ଦ କୁଇଭର ):- ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଦିଲେଶ୍ୱର ମାଝୀଙ୍କୁ ଓଡ଼ିଶା ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଗିରଫ କରିଛି।ଭିଜିଲାନ୍ସ ଦ୍ୱାରା ତାଙ୍କର ଅନେକ ସମ୍ପତ୍ତି ଥିବା ସ୍ଥାନରେ ହୋଇଥିବା ସର୍ଚ୍ଚ ଅଭିଯାନରେ ତାଙ୍କ ନିଜ ନାମରେ ଓ ଜଣେ ନିକଟତମ ଆତ୍ମୀୟ ନାମରେ ୪ଟି ଘର, ଗୋଟିଏ ବଜାର କମ୍ପ୍ଲେକ୍ସ, ୯ଟି ଉଚ୍ଚ ମୂଲ୍ୟର ଜମିପ୍ଲଟ, ୩୦୦ ଗ୍ରାମ ସୁନା, ୪୯.୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ, ୬.୫୭ ଲକ୍ଷ ଟଙ୍କା ନଗଦ ଓ ଅନ୍ୟାନ୍ୟ ସମ୍ପତ୍ତି ମିଳିଛି।ସୂଚନାଯୋଗ୍ୟ, ଦିଲେଶ୍ୱର ମାଝୀ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୁଦ୍ଧରେ ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଅର୍ଜନ ଅଭିଯୋଗ ହୋଇଥିଲା। ଓଡିଶା ଭିଜିଲାନ୍ସର ୫ ଡିଏସଏସପି, ୮ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ଉ କରିଥିଲେ।ବଲାଙ୍ଗୀର ଭିଜିଲାନ୍ସ, ସ୍ପେଶାଲ ଜଜ୍ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ଦିଲେଶ୍ବରଙ୍କ ସମ୍ପତ୍ତି ସ୍ଥାନରେ ତଲାସୀ କରାଯାଇଥିଲା। ଏସମ୍ପର୍କରେ, ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ପିଏସ୍ ମାମଲା ନମ୍ବର ୧୩/୨୦୨୫ ରୁଜୁ କରାଯାଇଛି।
State
ଗଞ୍ଜାମ, ବ୍ରହ୍ମପୁର ( ଦ କୁଇଭର ):- କିଛି ଭୁଲ ବୁଝାମଣା ପାଇଁ ଭାଙ୍ଗିଯାଉଛି ଅନେକ ସଂସାର, ଶେଷ ହୋଇଯାଉଛି ଦୀର୍ଘଦିନ ଧରି ରହିଥିବା ପାରିବାରିକ ସମ୍ପର୍କ,ଦୁଇ ମନ ସହ ଦୁଇ ପରିବାର ଏବଂ ସେମାନଙ୍କ ମଧ୍ୟରେ ଗଢି ଉଠିଥିବା ସମସ୍ତ ସମ୍ପର୍କ ପରିସମାପ୍ତି ହୋଇଯାଉଛି l କେତେବେଳେ ବିବାହ ବିଛେଦ ତ ଆଉ କେତେବେଳେ ପାରିବାରିକ କଳହ, ଆଉ କେତେବେଳେ ନିରୀହ ଛୁଆମାନଙ୍କ ଭାଗବଣ୍ଟା ହୋଉ କିମ୍ବା ସମ୍ପତ୍ତି ବିଚାର ସବୁଥିର ଶେଷରେ ଦୁଃଖ ଆଉ କ୍ଷୋଭ ଥାଏ, ତା'ସହିତ ପଶ୍ଚାତାପ ମଧ୍ୟ l
କିନ୍ତୁ ମଧ୍ୟସ୍ଥତା କେନ୍ଦ୍ରର ବୁଝାମଣା ମାଧ୍ୟମରେ ଯେତେବେଳେ ଦୀର୍ଘ ବର୍ଷରୁ ଲାଗିରହିଥିବା କଳହ, ଅନେକ ଦିନରୁ ରହିଥିବା ସମ୍ପର୍କରେ ଫାଟ ଯଦି ଯୋଡି ହୋଇଯାଏ, ଏକ ହୋଇଯାନ୍ତି ବିବାଦ ଭିତରେ ଥିବା ଦୁଇ ପରିବାର, ଉଭୟ ପରିବାରଙ୍କ ଭଲପାଇବା ପାଇଥାନ୍ତି କୁନି କୁନି ଛୁଆ... ତାହେଲେ କେତେ ସୁନ୍ଦର ଲାଗେ ଏ ପରିବେଶ, ଭରିଯାଏ ସମସ୍ତଙ୍କ ଆଖିରେ ଖୁସିର ଲୁହ ଓ ଆନନ୍ଦ ଉଲ୍ଲାସ l
ଏପରି ଏକ ପାରିବାରିକ ବିବାଦର ଆପୋଷ ସମାଧାନ ହୋଇପାରିଛି ଗଞ୍ଜାମ ଜିଲ୍ଲାର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା, ତାହାପୁଣି ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ଃ ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ, ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଦ୍ୱାରା l ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ହେଉଛି ଏକ ମାତ୍ର ବିକଳ୍ପ ଯେଉଁଠି ଅଳ୍ପ ସମୟ ମଧ୍ୟରେ ଦୀର୍ଘ ଦିନଠୁ ଲାଗିରହିଥିବା ବିବାଦର ହୋଇପାରିବ ସମାଧାନ l
ସୂଚନା ପ୍ରକାରେ, ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପଠାଯାଇଥିବା ଗୋଟିଏ ମାମଲାର ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ଗୋଟିଏ ଉଜାଡି ଯାଇଥିବା ପରିବାରକୁ ଯୋଡ଼ାଯାଇପାରିଲା l ଯଦ୍ୱାରା ଉଭୟ ସ୍ୱାମୀ ସ୍ତ୍ରୀ ଏବଂ ତିନୋଟି ସନ୍ତାନ ଉପକାର ପାଇଲେ l ମତାନ୍ତର ମନାନ୍ତର ଯୋଗୁଁ ଦୀର୍ଘ ଦିନରୁ ବିବାହ ବିଛେଦ, ପାରିବାରିକ ବିବାଦ ,ଘରୋଇ ହିଂସା ଭଳି ଏକାଧିକ ମାମଲା ବିଭିନ୍ନ ଥାନା ଓ କୋର୍ଟ କଚେରୀରେ ରହିଥିଲା l କିନ୍ତୁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଅନୁଯାୟୀ ଆଶୁ ସମାଧାନ, ଆପୋଷ ବୁଝାମଣା ମାଧ୍ୟମରେ ବୁଧବାର (୦୨. ୦୭. ୨୫) ଦିନ ସମାଧାନ ହୋଇପାରିଛି l ଦୁଇ ପରିବାର ପୁଣି ଏକ ହୋଇଛନ୍ତି, ଛୁଆ ମାନେ ଉଭୟ ବାପା ମା'ଙ୍କୁ ପାଖରେ ପାଇଛନ୍ତି.. ଏସବୁ କେବଳ ସମାଧାନ ହୋଇପାରିଛି ଉଭୟ ପକ୍ଷଙ୍କୁ ନେଇ ମଧ୍ୟସ୍ଥତା ଦ୍ୱାରା l
Shree Jagannath
ପୁରୀ( ଦ କୁଇଭର ):- ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ସରି ସରି ଆସୁଛି ଶ୍ରୀଜିଉଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ଆଡପ ମଣ୍ଡପରୁ ଧାଡି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ରଥ ଉପରକୁ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଅଭିମୁଖେ ବାହୁଡିବେ । ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ନବମୀ ତିଥିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶେଷ ଦର୍ଶନ କରୁଛନ୍ତି ଭକ୍ତ । ଏଥିପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଆଧାରରେ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଡପ ମଣ୍ଡପରେ ଦର୍ଶନ କରିପାରିବେ ଭକ୍ତ । ଭିଡ ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ କୁ ମଧ୍ୟ ସଂପ୍ରସାରଣ କରାଯାଇଛି ।
ସେପଟେ ଆସନ୍ତାକାଲି ବାହୁଡାଯାତ୍ରାର ସମସ୍ତ ନୀତିକାନ୍ତିକୁ ସଅଳ କରିବା ପାଇଁ ସଂଧ୍ୟା ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇ ମହାପ୍ରଭୁଙ୍କ ନୀତିକାନ୍ତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ବିଳମ୍ବିତ ରାତିରେ ଦଇତାପତି ସେବାୟତଙ୍କ ଦ୍ବାରା ଶ୍ରୀମୁଖ ଖଣ୍ଡୁଆ,ବାହୁଟକଣ୍ଟ, କୁସୁମିଲାଗି କରାଯିବା ସହ କୋଠସୁଆଁସିଆ ସେବାୟତଙ୍କ ଦ୍ୱାରା ଚାରମାଳ ବନ୍ଧା ଯିବ ।
State
ବ୍ରହ୍ମପୁର( ଦ କୁଇଭର ):- ପ୍ରେମ ହୋଇପାରେ କେତେ ମିଠା,ପ୍ରେମ ଜୀବନ ପାଇଁ କେତେ ଭଲ, ତାହା କେବଳ ପ୍ରେମୀ ଯୁଗଳ ହିଁ କହିପାରିବେ । ହେଲେ ବେଳେବେଳେ ଏ ପ୍ରେମ ହୋଇପାରେ କେତେ ଭୟଙ୍କର, ତାହା ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଆମର ଏହି କ୍ରାଇମ ରିପୋର୍ଟରେ ।
ଦର୍ଶକ ବନ୍ଧୁ ପ୍ରେମରେ ପଡିଛି ରକ୍ତଛିଟା, ଭାଙ୍ଗି ଯାଇଛି ମନ, ଚୁରମାର ହୋଇଯାଇଛି ହୃଦୟ । ଭଙ୍ଗା ମନ ଓ ଅବିଶ୍ବାସର ପାହାଡ଼ ଉପରେ ଥିବା ପ୍ରେମିକ ଘଟାଇଛି ନିର୍ମମ କାଣ୍ଡ ।
ବ୍ରହ୍ମପୁରର ଗେଷ୍ଟହାଉସରେ ଘଟିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡ ପଛରେ ରହିଛି ଏମିତି କିଛି ଚାଂଚଲ୍ୟକର ଘଟଣା, ଯାହା ଆପଣଙ୍କୁ ଚମକାଇ ଦେବ । ଅଭୟ ମହାରଣା ଓ ପ୍ରୀୟା ମହାରଣା ପରଷ୍ପରକୁ ପ୍ରେମ କରୁଥିଲେ । ପିଲା ଦିନରୁ, ପଢାବେଳର ପ୍ରେମ, ଆଗକୁ ସାତ ଜନ୍ମ ପାଇଁ ହେବେ ବୋଲି ସ୍ବପ୍ନ ଦେଖିଥିଲେ ଉଭୟ । ଚାକିରି ଚାଲିଗଲା ପ୍ରେମିକର, ଏତିକି ବେଳେ ଚାକିରୀ କରି ଟଙ୍କା ରୋଜଗାର କରୁଥିବା ପ୍ରେମିକା ଦେଲା କରଛଡା । ପାଗଳ ହୋଇଉଠିଥିଲା ପ୍ରେମିକ ଅଭୟ । ମିଠା ମିଠା କଥା କହି ପ୍ରେମିକାକୁ ଡକାଇଥିଲା ଗେଷ୍ଟ ହାଉସକୁ । ସବୁଦିନ ପାଇଁ ସବୁ କିଛି ଶେଷ କରିବାକୁ ତିଆରି କରିଥିଲା ବଡ଼ ଷଡଯନ୍ତ୍ର । କିଛି ବୁଝି ପାରୁନଥିଲା ପ୍ରେମିକା ପ୍ରିୟା । ସେହି ଗେଷ୍ଟହାଉସରେ ପ୍ରେମିକ ରଖିଲା ଦୈହିକ ସମ୍ପର୍କ । ଆଉ ତା ପରେ ଘଟାଇଲା ବର୍ବରତା । ପ୍ରେମିକା ପିଠିକୁ ବାରମ୍ବାର ମାରିଥିଲା ଛୁରୀ ।
ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ସ୍ଥିତ ପୁଷ୍ପାଞ୍ଜଳି ଗେଷ୍ଟ ହାଉସର ଏ ହତ୍ୟାକାଣ୍ଡ, ଯେତିକି ବର୍ବର, ସେତିକି ଲୋମଟାଙ୍କୁରା । ଏ ଘଟଣା ସାରା ବ୍ରହ୍ମପୁରକୁ ଦୋହଲାଇ ଦେଇଛି। କାରଣ ଗେଷ୍ଟ ହାଉସରେ ଜଣେ ଯୁବତୀକୁ ହତ୍ୟା କରିଛି ତାର ପୁରୁଷ ବନ୍ଧୁ , ଛୁରୀରେ ଆକ୍ରମଣ କରି ବଏ ଫ୍ରେଣ୍ଡ ନେଇଛି ଜୀବନ । ଏମିତି ଏକ ଘଟଣା ସାରା ସହରରେ ଆଲୋଡନ ସୃଷ୍ଟି କରିଛି। ତାଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ପୁରା ହତ୍ୟାକାଣ୍ଡକୁ ଘଟାଇବା ପରେ ପୁରୁଷ ବନ୍ଧୁ ନିଜେ ଯାଇ ଗୋଷାଣୀ ନୂଆଗାଁ ଥାନାରେ କରିଛି ଆତ୍ମସମର୍ପଣ।
ଅଭୟ ମହାରଣା, ବୟସ ପ୍ରାୟ ୨୪ ବର୍ଷ, ଭିତରେ ଯେ ଏମିତି ଏକ ରାକ୍ଷସ ବାସ କରିଛି, କେହି ହୁଏତ ସନ୍ଦେହ ବି କରିନଥିବେ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଂଚଳର ପ୍ରୀୟା କୁମାରୀ ମହାରଣା, ଯିଏ କି ତାଙ୍କର ପ୍ରେମିକା, ସିଏ ବା ଜାଣିବ କେମିତି । ଉଭୟ ଥିଲେ ପ୍ରେମି ଯୁଗଳ । ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ସ୍ଥିତ ପୁଷ୍ପାଞ୍ଜଳୀ ଗେଷ୍ଟ ହାଉସର ରୁମ୍ ନମ୍ବର ୧୧୨କୁ ବୁକ୍ କରି ରହିଥିଲେ। ସେହି ହୋଟେଲ ଭିତରେ ଦୁଇ ଲଭ୍ ବାର୍ଡଙ୍କ ମଧ୍ୟରେ ଘଟିଲା ଏମିତିକାଣ୍ଡ, ଯାହା କି ଏକ ବର୍ବର ହତ୍ୟାକାଣ୍ଡର ରୂପ ନେଇଥିଲା । ଗେଷ୍ଟହାଉସ ଭିତରେ ଆରମ୍ଭ ହୋଇଥିଲା ବିବାଦ, ପରେ ଏହା ବଚସାର ରୂପ ନେଲା। ଆଉ ଶେଷରେ ପ୍ରେମିକା ପ୍ରିୟାକୁ ଛୁରୀରେ ଆକ୍ରମଣ କରି ଜୀବନ ନେଇଗଲା ଅଭୟ । ପୋଲିସ ସୂଚନା ଅନୁସାରେ ନିଜ ପ୍ରେମିକା ପ୍ରିୟାଙ୍କୁ ୨୦ରୁ ଅଧିକ ଥର ଛୁରୀରେ ଭୁସି ହତ୍ୟା କରିଥିଲା ପୁରୁଷବନ୍ଧୁ ଅଭୟ ମହାରଣା ।
ଏସବୁ ଭିତରେ ପ୍ରଶ୍ନ ଉଠୁଛି ପ୍ରେମିକା ପ୍ରିୟାକୁ କାହିଁକି ହତ୍ୟା କଲା ଅଭୟ ମହାରଣା । ଅଭୟ ଓ ପ୍ରିୟା ଗୋଟିଏ ସାହିରେ ରହୁଥିଲେ, ଉଭୟେ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ । ଅଭୟ ଚାକିରୀ କରିଥିଲେ, ପ୍ରୀୟା ବି ଚାକିରୀ କରିଥିଲେ, ହେଲେ ଏହା ମଧ୍ୟରେ ଅଭୟଙ୍କ ଚାକିରି ଚାଲିଯିବା ପରେ ପ୍ରିୟା ପୂର୍ବ ଭଳି ଅଭୟଙ୍କୁ ସମ୍ମାନ ଦେଉନଥିଲେ । ଏହି ସମୟରେ ପରିବାର ଲୋକେ ପ୍ରୀୟା ପାଇଁ ଦେଖୁଥିଲେ ବାହାଘର ପ୍ରସ୍ତାବ । ଏହି ଖବର ଅଭୟ ନିକଟରେ ପହଁଚିବା ପରେ ସେ ସହିପାରିନଥିବା କୁହାଯାଉଛି, ଯାହାକୁ ନେଇ ପ୍ରେମିକା ପ୍ରିୟାକୁ ଗେଷ୍ଟହାଉସକୁ ଡାକି ହତ୍ୟା କରିଥିବା ବ୍ରହ୍ମପୁର ପୋଲିସ ଅନୁମାନ କରୁଥିବା ସୂଚନା ମିଳିଛି । ଗେଷ୍ଟହାଉସ ବେଡରେ ପଡିଥିଲା ପ୍ରେମିକାର ମରଶରୀର । ହତ୍ୟା କରିବା ପରେ ଗୋଷାଣୀ ନୂଆଗାଁ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା ଅଭୟ ମହାରଣା । ପୋଲିସ ପହଁଚି ବ୍ରହ୍ମପୁର ପୁଷ୍ପାଞ୍ଜଳି ଗେଷ୍ଟହାଉସରୁ ଶବ ଜବତ କରିବା ସହିତ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୋଲିସ । ହତ୍ୟାର ଅଭିଯୁକ୍ତ ଅଭୟକୁ ନେଇ ପୋଲିସ କରିଛି କ୍ରାଇମ ସିନ୍ ରି କ୍ରିଏସନ୍ । ସାଇଣ୍ଟିଫିକ ଟିମ ସାମ୍ନାରେ ଗେଷ୍ଟହାଉସର ୧୧୨ ନମ୍ବର ରୁମରେ ହତ୍ୟାକାରୀ ଅଭିଯୁକ୍ତ ଅଭୟ ଦେଖାଇଛି,କେମିତି କରିଥିଲା ପ୍ରେମିକାକୁ ହତ୍ୟା । କେଉଁଠାରେ କେମିତି କରିଥିଲା ଛୁରା ମାଡ?
ଏ କେମିତିକା ପ୍ରେମ, ସାଧାରଣରେ ଏବେ ସେହି ଗୋଟିଏ ଚର୍ଚ୍ଚା, ଯେଉଁ ବିଶ୍ବାସ, ଭରସା, ଭଲପାଇବା ସବୁକିଛି ଏକ ଦୈହିକ ମିଳନର କିଛି ସେକେଣ୍ଡରେ ଶେଷ ହୋଇଯାଉଛି । ସାତ ଜନ୍ମକୁ ସାଥୀ ହେବାକୁ ଆଖିରେ ଦେଖିଥିବା ସ୍ବପ୍ନ ସବୁ ଗେଷ୍ଟହାଉସର ରୁମ୍ ନଂବର ୧୧୨ରେ ହିଁ ଶେଷ ହୋଇଗଲା ସବୁଦିନ ପାଇଁ । ଯେଉଁ ହାତରେ ପ୍ରେମିକା ପ୍ରିୟାର ମନ ବୁଝିବାକୁ ବାରମ୍ବାର ଅଭୟ ଦେଉଥିଲା ଲାଲ୍ ଗୋଲାପ, ଗେଷ୍ଟହାଉସରେ ସେହି ହାତ, ପ୍ରେମିକା ପ୍ରିୟାର ତାଜା ରକ୍ତରେ ଲାଲ୍ ହେଲା । ବଦଳୁଥିବା ସମାଜ, ଆଧୁନିକତାର ଚାକଚକ୍ୟ ଏବଂ ମଣିଷ ଭିତରେ ମରି ଯାଉଥିବା ଭଲ ପାଇବା ଓ ମଣିଷ ପଣିଆ ଆଡକୁ, ବ୍ରହ୍ମପୁର ଗେଷ୍ଟହାଉସର ଏ ମର୍ଡର, ପ୍ରଶ୍ନ କରୁଛି । ଏବେ ବି ପ୍ରଶ୍ନ ଉଠୁଛି ବ୍ରହ୍ମପୁର ପୁଷ୍ପାଞ୍ଜଳି ଗେଷ୍ଟହାଉସର ହତ୍ୟାକାଣ୍ଡ ଏକ କୋଲଡ୍ ବ୍ଲଡେଡ୍ ମର୍ଡର ନା ପ୍ରି ପ୍ଲାନ୍ ହତ୍ୟାକାଣ୍ଡ । ଏସବୁର କାରଣ ଖୋଜୁଛି ବ୍ରହ୍ମପୁର ପୋଲିସ ।
State
ଦ କୁଇଭର ବ୍ୟୁରୋ :- ସୁବର୍ଣ୍ଣରେଖା ଓ ଜଳକାରେ ଜଳସ୍ତର ବୃଦ୍ଧି ଯୋଗୁଁ ଉତ୍ତର ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଉପୁଜିଛି। ଚାରିଟି ବ୍ଲକ ଜଳେଶ୍ବର, ଭୋଗରାଇ, ବସ୍ତା, ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ପଶିଛି ବନ୍ୟା ପାଣି। ବନ୍ୟପାଣିରେ ଭାସିଯାଇ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବସ୍ତା ବ୍ଲକ ବାସି ଚକୁରାଇ ପଞ୍ଚାୟତରେ ଜଳକା ନଦୀରେ ଗତକାଲି ବନ୍ୟା ପାଣିରେ ଭାସି ଯାଇଥିବା କାଳନ୍ଦା ଗ୍ରାମର ଶତ୍ରୁଘ୍ନ ବିନ୍ଧାଣିଙ୍କ ମୃତଦେହ ଆଜି ଉଦ୍ଧାର କରିଛି ଓଡ୍ରାଫ ଟିମ୍। ହାଟ ସାରି ଫେରିବା ସମୟରେ ସେ ବନ୍ୟା ପାଣିରେ ଭାସି ଯାଇଥିଲେ। ରାତି ସାରା ପରିବାର ପକ୍ଷରୁ ଖୋଜାଖୋଜି କରି ତାଙ୍କର କୌଣସି ଖବର ପାଇ ନଥିଲେ। ହେଲେ ଆଜି NDRF, ଅଗ୍ନିଶମ ଏବଂ ପୋଲିସ ପହଂଚି ୨୦ ଫୁଟ ଗଭୀର ନଦୀ ଭିତରୁ ଶବକୁ ଉଦ୍ଧାର କରିଥିଲେ। ସେହିପରି ଅନ୍ୟଜଣେ ବୃଦ୍ଧଙ୍କର ନଦୀ ଜଳରେ ଭାସିଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ବସ୍ତା ବିଧାୟିକା ସୁବାଶିନୀ ଜେନା ପ୍ରଶାସନକୁ ଦୋଷ ଦେବାସହ ଦାୟିତ୍ୱରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ହଜାର ହଜାର ହେକ୍ଟର ଚାଷଜମି ବୁଡ଼ି ରହିଛି। ଏବେ ତଳା ପକାଇଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ସରକାରୀ ସହାୟତା କେବଳ ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ କରିଛନ୍ତି ଚାଷୀ। ସାତ ଦିନର ବ୍ୟବଧାନରେ ଦୁଇଥର ବନ୍ୟାକୁ ସାମ୍ନା କରିଥିବା ଉତ୍ତର ବାଲେଶ୍ୱରବାସୀ ଏବେ ଦୁର୍ଦ୍ଦିନରେ ଥିବା ଦେଖିବାକୁ ମିଳିଛି। ବନ୍ୟାରେ ଜିଲ୍ଲାର ୫୩ ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ୩୬୫୬ ଜଣଙ୍କୁ ପ୍ରଶାସନ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡିଥିଲା। ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହ ଚାଷୀମାନଙ୍କ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବା ପାଇଁ ବସ୍ତା ବିଧାୟିକା ସୁବାଶିନୀ ଜେନା ଦାବି କରିଛନ୍ତି। ସେହିପରି ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିନୟ ଦାସ ମହାପାତ୍ରଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ୍ ବନ୍ୟା ପରିସ୍ଥିତି ସମୟରେ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଏବଂ ଜଳବାହିତ ରୋଗ ରୋକିବା ପାଇଁ ନିୟୋଜିତ କରାଯାଇଛି। ଏହି ଟିମ୍ ମଧ୍ଯ ତୃଣମୂଳ ସ୍ତରରେ ଯେପରି ସୂଚନା-ଶିକ୍ଷା-ସଂଚାର ମାଧ୍ୟମରେ ଜନସଚେତନତା ସୃଷ୍ଟିକରାଯାଇ ପାରିବ ତାହା ସୁନିଶ୍ଚିତ କରୁଛନ୍ତି। ସାପକାମୁଡା ଜନିତ ଜନସଚେତନତା ଓ ଚିକିତ୍ସା ବିଷୟରେ ବିଶେଷ ଗୁରୁତ୍ବ ଦିଆଯାଉଛି। ସାପକାମୁଡ଼ା ଚିକିତ୍ସା ପାଇଁ ଆବଶ୍ୟକୀୟ ଔଷଧ, ORS, ହ୍ୟାଲୋଜେନ୍ ଟ୍ୟାବଲେଟ୍ ଆଦି ମହଜୁଦ ରଖୁବା ଉପରେ ଗୁରୁତ୍ବ ଦିଆଯାଉଛି।ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଜନସାଧାରଣଙ୍କ ନିରାପଦ ସ୍ବାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ସମନ୍ବିତ ଭାବରେ କାର୍ଯ୍ୟ କରୁଛି ଓ ସମସ୍ତ ପରିସ୍ଥିତି ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି l
State
ଦ କୁଇଭର ବ୍ୟୁରୋ:- ଆସନ୍ତା ୬ ତାରିଖ ରବିବାର ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଥିବା ବେଳେ ଛତିଶଗଡ଼ ସରକାର କଲ୍ମା ବ୍ୟାରେଜ୍ର ୪୬ଟି ଗେଟ୍ ଖୋଲି ଦେଇଛନ୍ତି। କଲ୍ମାର ୬୬ଟି ଗେଟ୍ ମଧ୍ୟରୁ ଗତକାଲି ପର୍ଯ୍ୟନ୍ତ ୧୦ଟି ଗେଟ୍ ଖୋଲା ରହିଥିଲା। ଗୁରୁବାର ଆହୁରି ୩୬ଟି ଗେଟ୍ ଖୋଲାଯିବା ପରେ ମହାନଦୀରେ ଜଳପ୍ରବାହ ବଢ଼ିଛି। ଗୁରୁବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୨୫ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରକୁ ଏହି ସମୟରେ ୧,୦୧,୩୪୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ମାତ୍ର ୩୪,୨୫୪ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ୮ଟା ସୁଦ୍ଧା) ଉପର ମୁଣ୍ଡରେ ୩୦.୧୧ ମିମି ଓ ତଳମୁଣ୍ଡରେ ୩୭.୫୧ ମିମି ବର୍ଷା ରେକର୍ଡ କରାଯାଇଛି। ମହାନଦୀରେ ଜଳପ୍ରବାହ ବୃଦ୍ଧି ଯୋଗୁଁ ଆସନ୍ତା ୬ ତାରିଖରେ ହୀରାକୁଦ ଡ୍ୟାମ୍ର ଜଳସ୍ତର ୬୦୮ ଫୁଟ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ରୁଲ୍କର୍ଭ ଅନୁସାରେ, ଏହି ସମୟରେ ଜଳସ୍ତର ୬୦୫ ଫୁଟ ମଧ୍ୟରେ ରହିବା କଥା। ବନ୍ୟା ନିୟନ୍ତ୍ରଣ ପାଇଁ ଚଳିତବର୍ଷ ଆଗୁଆ ବନ୍ୟାଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାର ଅଚଳ କ୍ଷମତା (ଡେଡ୍ ଷ୍ଟୋରେଜ) ଜଳସ୍ତର ୫୯୦ ଫୁଟ ହୋଇଥିବା ବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ। ବନ୍ୟା ନିୟନ୍ତ୍ରଣ ତଥା ବନ୍ଧର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ସେପଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖ ସୁଦ୍ଧା ଜଳସ୍ତର ଏହାର ସର୍ବୋଚ୍ଚ ସ୍ତରରେ ରଖାଯାଇଥାଏ। ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ଆସନ୍ତା ରବିବାର ଦିନ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।